
ରାୟଗଡା : ଡିଜିଟାଲ ଭାରତ ଅଭିଯାନ ସହ ପଦକ୍ଷେପ ମିଳାଇ ରାୟଗଡାର ପ୍ରସିଦ୍ଧ ଶକ୍ତିପୀଠ ମାଁ ମଜିଘରିଆଣୀ ମନ୍ଦିରରେ ଆରମ୍ଭ ହୋଇଛି ଇ-ହୁଣ୍ଡି (ଇ-ଦାନ ପେଟି) ବ୍ୟବସ୍ଥା। ବର୍ତ୍ତମାନ ଭକ୍ତମାନେ ସହଜରେ UPI ମାଧ୍ୟମରେ ମନ୍ଦିର ପରିସରରେ କିମ୍ବା ଘରେ ବସି ମଧ୍ୟ ଦାନ କରିପାରିବେ।ଦକ୍ଷିଣ ଓଡିଶାର ଏକ ପ୍ରମୁଖ ଶକ୍ତିପୀଠ ଭାବେ ପରିଚିତ ଏହି ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ମାଁଙ୍କ ଚରଣରେ ସୁନା-ରୂପା ଅଳଙ୍କାର ସହ ଅର୍ଥିକ ଦାନ ହୁଣ୍ଡିରେ ପ୍ରଦାନ କରାଯାଉଛି। ପ୍ରତ୍ୟେକ ଚୋମାସରେ ଗଣନାରେ ଦାନର ପରିମାଣ କୋଟି କୋଟି ଟଙ୍କାକୁ ଛୁଇଁଉଛି, ଯାହା ଭକ୍ତମାନଙ୍କ ଅଟୁଟ ଆସ୍ଥାର ପ୍ରତିକ।ଭକ୍ତମାନଙ୍କ ବିଶ୍ୱାସ ଅନୁଯାୟୀ, ଏଠାରେ ପ୍ରାର୍ଥନା କଲେ ମାଁଙ୍କ ଅପାର କୃପା ବର୍ଷିତ ହୁଏ। ସେହିପରି ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ମାଁଙ୍କ ଆଶୀର୍ବାଦ ନେବାକୁ ହଜାର ହଜାର ଭକ୍ତ ରାୟଗଡାକୁ ଆସୁଛନ୍ତି। ପ୍ରତିଦିନ ମୁଣ୍ଡନ କାର୍ଯ୍ୟ ମଧ୍ୟ ଏଠାରେ ହେଉଛି, ଯାହା ନାଇ ସମ୍ପ୍ରଦାୟ ଓ ମନ୍ଦିରର ଆର୍ଥିକ ଉନ୍ନତିକୁ ସହାୟକ ହେଉଛି।ଓଡିଶା ସହ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ଝାରଖଣ୍ଡରୁ ମଧ୍ୟ ଅନେକ ଭକ୍ତ ଏଠାରେ ଏକତ୍ରିତ ହେଉଛନ୍ତି। ବିଦେଶୀ ମୁଦ୍ରାରେ ମଧ୍ୟ ଦାନ ଦେବା ଘଟଣା ଦେଖାଯାଉଛି।ମୋବାଇଲ ଓ ଇ-ପେମେଣ୍ଟର ଏହି ଯୁଗରେ ମନ୍ଦିର ପ୍ରଶାସନ ଇ-ହୁଣ୍ଡି ସ୍କାନର ସ୍ଥାପନ କରି ଭକ୍ତମାନଙ୍କ ପାଇଁ ସୁବିଧା ଯୋଗାଇଛନ୍ତି। ଦେଶ ବାହାରେ ରହୁଥିବା ଭକ୍ତମାନେ ମଧ୍ୟ ଏହି ବ୍ୟବସ୍ଥା ମାଧ୍ୟମରେ ସହଜରେ ଦାନ କରିପାରିବେ।ଇ-ହୁଣ୍ଡି ବ୍ୟବସ୍ଥା ଆରମ୍ଭ ହେବା ପରେ ସମସ୍ତ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି। ଡିଜିଟାଲ ମାଧ୍ୟମରେ ଦାନ ବ୍ୟବସ୍ଥା ମନ୍ଦିର ପ୍ରଶାସନର ପ୍ରଗତିଶୀଳ ପଦକ୍ଷେପ ବୋଲି ସ୍ଥାନୀୟ ଲୋକ ମତ ପ୍ରକାଶ କରିଛନ୍ତି।
