
ବିଷମକଟକ ୨୫/୦୨: ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅଧୀନ ପାଇକଡାକୁଲୁଗୁଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଗୁରୁତର ଭାବେ ପୋଡ଼ିଯାଇଥିବା ସପ୍ତମ ଶ୍ରେଣୀର ଛାତ୍ର ବୀରେନ ଟାକ୍ରିଙ୍କ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ୪୮ ଦିନ ଧରି ଜୀବନ ମୃତ୍ୟୁ ସଂଘର୍ଷ ପରେ ମଙ୍ଗଳବାର ଅପରାହ୍ନରେ କଟକର ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।ଘଟଣା ଅନୁସାରେ, ଗତ ଜାନୁଆରି ୫ ତାରିଖରେ ବିଦ୍ୟାଳୟର ଉପର ମହଲାରେ ଜଣେ ଛାତ୍ର ଚାରିଜଣ ସହପାଠୀଙ୍କ ଉପରେ ଥିନେର ପକାଇ ନିଆଁ ଲଗାଇଦେଇଥିଲା। ଏହି ଅଭାବନୀୟ ଘଟଣାରେ ଚାରିଜଣ ଛାତ୍ର ଗୁରୁତର ଭାବେ ପୋଡ଼ିଯାଇଥିଲେ। ସମସ୍ତଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଓ ପରେ କଟକ ଏସ୍ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା।

ଦୀର୍ଘ ୪୮ ଦିନ ଧରି ଚିକିତ୍ସା ପାଇବା ପରେ ବୀରେନ ଜୀବନ ଯୁଦ୍ଧରେ ହାରିଯାଇଥିବାରୁ ପରିବାର ଲୋକ ଓ ଅଭିଭାବକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଦ୍ୟାଳୟ ପକ୍ଷରୁ ଅବହେଳା ହୋଇଥିବା ଅଭିଯୋଗ କରି ପରିବାର ଓ ଗ୍ରାମବାସୀମାନେ ବିଦ୍ୟାଳୟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ କରିଥିଲେ। ଏଥିପାଇଁ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।ଖବର ପାଇ ମୁନିଗୁଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ଓ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଘଟଣା ସମ୍ବନ୍ଧରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ବରୁ ମୁନିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ, ପୁଲିସ୍ ଆହତ ଛାତ୍ରମାନଙ୍କ ବୟାନ ଆଧାରରେ ଅଗ୍ନିକାଣ୍ଡ ଘଟାଇଥିବା ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଛାଇଦେଇଛି।
