
ରାୟଗଡା, କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଜଙ୍ଗଲ ଜମି ଅଧିକାର ଶିରୋନାମା (ଫରେଷ୍ଟ ରାଇଟ୍ସ ଟାଇଟଲ) ଓ ଘରଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଯୋଗ୍ୟ ହିତାଧିକାରୀଙ୍କୁ ଜମିର ମାଲିକାନା ପ୍ରଦାନ କରି ସେମାନଙ୍କୁ ସାମାଜିକ ଓ ଆର୍ଥିକ ଭାବେ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ କାଶୀପୁର ତହସିଲଦାର ଅନୁପମ ଆଚାର୍ଯ୍ୟ, ଅତିରିକ୍ତ ତହସିଲଦାର କାର୍ତ୍ତିକ ଦୋରା, ବିନୋଦ ଶବରଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ପଟ୍ଟା ବଣ୍ଟନ କରିଥିଲେ।କାଶୀପୁର ତହସିଲ ପକ୍ଷରୁ ମୋଟ ୫୦ଟି ଜଙ୍ଗଲ ଜମି ଅଧିକାର ଶିରୋନାମା ଓ ୫୦ଟି ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଶଙ୍କରଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋବରଘାଟି ଗ୍ରାମର ୫୦ଟି ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଅଧିକାର ଅଧିନିୟମ ଅନୁସାରେ ଜଙ୍ଗଲ ଜମି ଅଧିକାର ଶିରୋନାମା ପ୍ରଦାନ କରାଯାଇଥିଲା।ସେହିପରି ଓଡ଼ିଶା ସରକାରଙ୍କ ବସୁନ୍ଧରା ଯୋଜନା ଅଧୀନରେ ଚନ୍ଦ୍ରଗିରୀ ଗ୍ରାମ ପଞ୍ଚାୟତର ଦଣ୍ଡାବାଡ ଗ୍ରାମର ୩୦ ଜଣ ଏବଂ କୁଚେଇପଦର ରାଜସ୍ୱ ମଣ୍ଡଳ ଅନ୍ତର୍ଗତ କୁଗୁପୁଟ ଗ୍ରାମର ୩୦ ଜଣ ଘରଡିହହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା।ଜଙ୍ଗଲରେ ବସବାସ କରୁଥିବା ଆଦିବାସୀ ଓ ପାରମ୍ପରିକ ଜଙ୍ଗଲବାସୀଙ୍କୁ ଆଇନଗତ ଅଧିକାର ପ୍ରଦାନ ସହ ଭୂମିହୀନ ପରିବାରଙ୍କୁ ସ୍ଥାୟୀ ବାସସ୍ଥାନ ଯୋଗାଇବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ବୋଲି ଅଧିକାରୀମାନେ କହିଥିଲେ।ଏହି ଅବସରରେ ରାଜସ୍ୱ ପରିଦର୍ଶକ ଅକୃର ଶବରଙ୍କ ସମେତ ସମସ୍ତ ରାଜସ୍ୱ ନୀରିକ୍ଷକ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।
