
ଟିକିରି, ତାରିଖ 15/01/2026 –ରାୟଗଡା ଜିଲ୍ଲାରେ ପୁଣି ଏକ ଦୁଃଖଦ ଘଟଣା। କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇ ପଦର ଗ୍ରାମର ଜଣେ ଯୁବ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶ୍ରୀ ଗୁରୁନାଥ ମାଝୀ (ବୟସ ପ୍ରାୟ 25 ବର୍ଷ), ପିତା – ଶ୍ରୀ ଲିଙ୍ଗରାଜ ମାଝୀ।

ପ୍ରାପ୍ତ ସୂଚନା ଅନୁସାରେ, ଗୁରୁନାଥ ମାଝୀ ଜୀବିକା ନିମିତ୍ତେ ତାମିଲନାଡୁ ରାଜ୍ୟର ପେରୁନ୍ଦୁରାଇ ଅଞ୍ଚଳରେ ଥିବା ଏକ ସୁତା କଳ କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କୌଣସି କାରଣରୁ ସେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି।

ଘଟଣା ପରେ ମୃତ ଦେହକୁ ଆମ୍ବୁଲାନ୍ସ ଯୋଗେ ତାଙ୍କର ଜନ୍ମଗ୍ରାମ କୁଚେଇ ପଦରକୁ ଆଣାଯାଉଛି। ଏହି ଘଟଣା ଖବର ପହଞ୍ଚିବା ସହିତ ଗ୍ରାମରେ ଶୋକର ଛାୟା ଛାଇଯାଇଛି ଏବଂ ପରିବାର ସଦସ୍ୟମାନେ ଭାଙ୍ଗିପଡ଼ିଛନ୍ତି।ଏକ ପକ୍ଷରେ ଜୀବିକା ନିମିତ୍ତେ ରାଜ୍ୟ ବାହାରକୁ ଯାଇ କାମ କରୁଥିବା ଦାଦନ ଶ୍ରମିକମାନଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ ବଢୁଥିବା ବେଳେ, ଅନ୍ୟ ପକ୍ଷରେ ଶ୍ରମିକ ସୁରକ୍ଷା ଓ ସରକାରୀ ସହଯୋଗ ନେଇ ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଶୋକ ପ୍ରକାଶ କରିବା ସହ ମୃତ ପରିବାରକୁ ଯଥୋଚିତ ସହାୟତା ଦେବାକୁ ଦାବି କରିଛନ୍ତି।
