ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଗ୍ରାମାଞ୍ଚଳରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ୟୁଏଆଇଏଲ୍।ଉଦ୍ୟମି ପ୍ରକଳ୍ପରେ ରାୟଗଡ଼ା–କଳାହାଣ୍ଡିରେ ଅର୍ଥନୈତିକ ଅଭିବୃଦ୍ଧି — ୩୦୧ କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି।

ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ — ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ନିଜ ସିଏସଆର୍ ପକ୍ଷରୁ ପରିଚାଳିତ ଉଦ୍ୟମି ପ୍ରକଳ୍ପ ଦ୍ୱାରା ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଆଣିବାରେ ସଫଳ ହୋଇଛି। ରାୟଗଡ଼ା ଓ କଳାହାଣ୍ଡିର ସୀମାଞ୍ଚଳର ୨ଟି ବ୍ଲକରେ ମୋଟ ୩୦୧ ଟି କ୍ଷୁଦ୍ର ଉଦ୍ୟୋଗ ସୃଷ୍ଟି ହୋଇଛି, ଯାହାର ଫଳରେ ଅନେକ ସ୍ଥାନୀୟ ଯୁବକ–ଯୁବତୀ ସ୍ୱାବଲମ୍ବୀ ହୋଇପାରିଛନ୍ତି।ଟିକିରି ଓ ପର୍ଶ୍ୱସ୍ଥ ଗ୍ରାମାଞ୍ଚଳରେ ଲୋକଙ୍କୁ ଆତ୍ମନିର୍ଭର ତଥା ଅର୍ଥନୈତିକ ଭାବେ ସ୍ଥିର କରିବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ ୧୦୫ଟି ଗ୍ରାମରେ କାର୍ଯ୍ୟକାରୀ ହେଉଛି। ଉଦ୍ୟୋଗୀମାନଙ୍କୁ କୌଶଳ, ପ୍ରଶିକ୍ଷଣ, ଯାନ୍ତ୍ରିକ ଉପକରଣ, କଞ୍ଚାମାଲ୍ ଏବଂ ବାଜାର ସଂଗ୍ରହ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସହଯୋଗ UAIL ପକ୍ଷରୁ ପ୍ରଦାନ କରାଯାଉଛି।୨୦୨୧ ଜୁଲାଇରୁ ଆରମ୍ଭ ହୋଇଥିବା ପ୍ରକଳ୍ପ ଜରିଆରେ ଶତାଧିକ ଯୁବକ–ଯୁବତୀ ନିଜ ଉଦ୍ୟମ ସ୍ଥାପନ କରି ଆତ୍ମନିର୍ଭର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବାସୁଦେବ ବିଶୋଇ ଓ ମହିଳା ଉଦ୍ୟୋଗୀ ରୋଜାଲିନ ଖୋରା ପ୍ରମୁଖ। ସରଳ ଦୋକାନରୁ ଆରମ୍ଭ କରି ଫ୍ଲେକ୍ସ ଓ ଷ୍ଟୁଡିଓ ବ୍ୟବସାୟ ପର୍ଯ୍ୟନ୍ତ ବିକାଶ କରିଥିବା ବାସୁଦେବଙ୍କ ସଫଳତା ଆଜି ଅନେକଙ୍କୁ ପ୍ରେରଣା ଦେଉଛି।

ଏହି ପ୍ରକଳ୍ପ ଫଳରେ ୨୪୮ ଜଣଙ୍କୁ ପରୋକ୍ଷ ରୋଜଗାର ମିଳିଛି, ଏବଂ ଯେଉଁ ୩୭ଜଣ ଦାଦନ କାମକୁ ବାହାରକୁ ଯାଉଥିଲେ, ସେମାନେ ବର୍ତ୍ତମାନ ନିଜ ଗ୍ରାମରେ କାମ ପାଇପାରୁଛନ୍ତି।୧୨୦% ରୁ ଅଧିକ ରୋଜଗାର ବୃଦ୍ଧି ହୋଇ ବର୍ତ୍ତମାନ ସେମାନଙ୍କ ଆୟ ୧୪ ରୁ ୧୮ ହଜାର ଟଙ୍କା ଯାଏଁ ପହଞ୍ଚିଛି। ସେବା କ୍ଷେତ୍ରରେ ୧୩୪ ଟି, ଉତ୍ପାଦନ କ୍ଷେତ୍ରରେ ୭୦ ଓ ବ୍ୟବସାୟ ଭିତ୍ତିକ ଶିଳ୍ପରେ ୯୭ ଟି ଉଦ୍ୟୋଗ କାର୍ଯ୍ୟକାରୀ ଅବସ୍ଥାରେ ରହିଛି।ଇଡିଆଇଆଇ (EDII) ସହ ଯୁଗଳବ୍ଧ ଭାବେ ପରିଚାଳିତ ଏହି ପ୍ରକଳ୍ପର କେନ୍ଦ୍ରପରିଚାଳକ ଦୈତାରି ସାମନ୍ତରାୟ କହିଛନ୍ତି — ଅଞ୍ଚଳରେ ନୂତନ ଉଦ୍ୟୋଗ ପ୍ରତିଷ୍ଠା, ଯୁବମାନଙ୍କୁ କୌଶଳ ପ୍ରଦାନ ଓ ସ୍ଥାନୀୟ ନିଯୁକ୍ତି ସୃଷ୍ଟି ହେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ।ପ୍ରଥମ ପର୍ଯ୍ୟାୟର ସଫଳତା ପରେ ଉଦ୍ୟମି ୨.୦ ମଧ୍ୟ ଆରମ୍ଭ ହୋଇଛି। ୧୫୦ଟି ଗ୍ରାମରେ ସର୍ଭେ କରି ନୂତନ ଉଦ୍ୟୋଗୀ ଚିହ୍ନଟ ପାଇଁ ପ୍ରକ୍ରିୟା ଚାଲିଛି।କମ୍ପାନୀ ପକ୍ଷରୁ ସୂଚନା ମିଳିଛି ଯେ, ପ୍ରକଳ୍ପ ସଫଳ ହୋଇଥିବାରୁ ଏହାକୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବିସ୍ତାରିତ କରାଯିବ।

Leave a Reply

Your email address will not be published. Required fields are marked *

error: Content is protected !!