
ରାୟଗଡା, ୨୬.୧୧ (ରମେଶ ଇପ୍ପୀଲୀ): ରାୟଗଡା ଜିଲ୍ଲାରେ ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା ଘଟିଛି। ଭାଇର ବାହାଘର ସାରି ଘରକୁ ଫେରୁଥିବାବେଳେ ଭଉଣୀ ମିଲି ଗୌଡ଼ଙ୍କ ମୃତ୍ୟୁ ଘଟିଥିବା ଖବରେ ସମଗ୍ର ରାୟଗଡାରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, ରାୟଗଡାର ‘ଜୈନିକ ୱେବ’ ଖବରଦାତା ଗୋପୀନାଥ ଗୌଡ଼ଙ୍କ ବାହାଘର ଝାରସୁଗୁଡା ଜିଲ୍ଲାର କୁଚିଣ୍ଡାରେ ଦିନବେଳେ ଅନୁଷ୍ଠିତ ହୋଇଥିଲା। ବାହାଘରରୁ ମୃତକ ମିଲି ଗୌଡ଼ ନିଜ ପରିବାର ସହ ସନ୍ଧ୍ୟା ବେଳେ ଫେରୁଥିଲେ।ଏହି ସମୟରେ କତରଭାଗା ଥାନା ଅନ୍ତର୍ଗତ ଗୁମଲେଇ ନିକଟରେ ଯାନଟି ଭାରସାମ୍ୟ ହରାଇ ଗୋଟିଏ ଗଛକୁ ଜୋରଦାର ଧକ୍କ ଦେଇଥିଲା। ଘଟଣାସ୍ଥଳକୁ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ଆହତ ଚାରିଜଣଙ୍କୁ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି।ଅପରପକ୍ଷେ, ଯାନଟି ଭିତରେ ଅଟକିଥିବା ମୃତଦେହକୁ ଗ୍ୟାସ କଟର ସହାୟତାରେ କାଟି ଅଗ୍ନିଶମ ବିଭାଗ ଉଦ୍ଧାର କରିଥିଲା।ଗୋପୀନାଥ ଗୌଡ଼ଙ୍କ ଭଉଣୀଙ୍କ ମୃତ୍ୟୁ ଖବର ମିଳିବା ସହ ରାୟଗଡା ସମ୍ପ୍ରଦାୟରେ ଗଭୀର ଶୋକ ପ୍ରକାଶ ପାଇଛି। ପ୍ରେସ ଆଣ୍ଡ ମିଡିଆ ୱେଲଫେୟାର ଆସୋସିଏସନ ସଦସ୍ୟମାନେ ଗୋପୀ ଏବଂ ତାଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।
