କୋଡିଙ୍ଗାମାଳି ବକ୍ସାଇଟ ଖଣି ସମ୍ପ୍ରସାରଣକୁ ନେଇ ରାୟଗଡାରେ ଜନଶୁଣାଣି, ସ୍ଥାନୀୟଙ୍କ ସମର୍ଥନ।

ରାୟଗଡା ଓ କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋଡିଙ୍ଗାମାଳି ବକ୍ସାଇଟ ଖଣିର ବାର୍ଷିକ ଉତ୍ପାଦନ କ୍ଷମତାକୁ ୩.୬ ମିଲିୟନ ଟନରୁ ୬ ମିଲିୟନ ଟନକୁ ବୃଦ୍ଧି କରିବା ପ୍ରସ୍ତାବକୁ ନେଇ ଆଜି ରାୟଗଡା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପରେ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଏହି ଜନଶୁଣାଣିରେ ରାୟଗଡା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର, ଅଶୋକ ଭୋଇ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡିଶା ଏବଂ ଓଏମସିର ଅଧିକାରୀମାନେ ଉପସ୍ଥିତ ରହିଥିଲେ।କୋଡିଙ୍ଗାମାଳି ପ୍ରଭାବିତ ଅଞ୍ଚଳର କାଶୀପୁର ବ୍ଲକର ବାଙ୍କାମ୍ବା ଓ ପୁଡାପାଡ଼ି ପଞ୍ଚାୟତର ପ୍ରାୟ ୬୦୦ରୁ ୭୦୦ ଲୋକ ଜନଶୁଣାଣିରେ ଯୋଗଦେଇ ଖଣି ସମ୍ପ୍ରସାରଣ ପ୍ରସ୍ତାବକୁ ସମର୍ଥନ ଜଣାଇଥିଲେ। ସେମାନଙ୍କର ମତାମତ ଓ ସମସ୍ୟା ଶୁଣାଯିବା ସହ ଲିଖିତ ଆକାରରେ ଗ୍ରହଣ କରାଯାଇଥିଲା।

ସ୍ଥାନୀୟ ବାସିନ୍ଦାମାନେ କହିଥିଲେ ଯେ, ବକ୍ସାଇଟ ଖଣିର ସମ୍ପ୍ରସାରଣ ଦ୍ୱାରା ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବା ସହ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ଏହା ଫଳରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ସାମଗ୍ରିକ ଅଞ୍ଚଳର ବିକାଶ ସମ୍ଭବ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

ଜନଶୁଣାଣି ସମୟରେ ଉପସ୍ଥାପିତ ସମସ୍ତ ମତାମତ ଓ ଅଭିଯୋଗର ଭିଡିଓଗ୍ରାଫି କରାଯାଇଥିଲା। ସଂଗୃହୀତ ତଥ୍ୟ ଓ ରିପୋର୍ଟ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!