
ରାୟଗଡା ଜିଲ୍ଲା କାଶୀପୁର ପୋଲିସ ଏକ ବଡ଼ ସଫଳତା ହାସଲ କରି ଡକାୟତି ଯୋଜନା କରୁଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହାସହ ଅଭିଯୁକ୍ତମାନଙ୍କ ଜେରା ବେଳେ କାଶୀପୁର ଥାନାର ୩ଟି ସମ୍ପତ୍ତି ଅପରାଧ ମାମଲାର ମଧ୍ୟ ପର୍ଦ୍ଦାଫାସ ହୋଇଛି।ସୂଚନା ଅନୁସାରେ, ୧୪/୧୫ ଜୁନ ୨୦୨୬ ରାତିରେ କାଶୀପୁର ଥାନାର ଏସ୍ଆଇ ବିକାଶ କୁମାର ପଟେଲ ନାଇଟ୍ ପେଟ୍ରୋଲିଂ କରୁଥିବା ବେଳେ ଖବର ପାଇଥିଲେ ଯେ କାଶୀପୁର ଶିବ ମନ୍ଦିର ନିକଟରେ କିଛି ଅସାମାଜିକ ବ୍ୟକ୍ତି ମାରଣାସ୍ତ୍ର ଧରି ଡକାୟତି ପାଇଁ ଯୋଜନା କରୁଛନ୍ତି। ଏହାପରେ ପୋଲିସ ଟିମ୍ ତୁରନ୍ତ ଚଢ଼ାଉ କରି ୫ ଜଣଙ୍କୁ କାବୁ କରିଥିଲା।ଗିରଫ ଅଭିଯୁକ୍ତମାନେ ହେଲେ ଦମ୍ବରୁଧର ନାୟକ ଓରଫ ଅଙ୍କିତ, ଧୋଲୁ ଓରଫ ମନୋଜ ନାୟକ, ରବି ମାଝୀ, ଆକାଶ ବଡ଼ନାୟକ ଓ ଭାଗୀରଥୀ ନାୟକ ଓରଫ ଭୋଗୀ।

ସେମାନଙ୍କ ନିକଟରୁ ଗୋଟିଏ ହିରୋ ପାସନ୍ ପ୍ରୋ ମୋଟରସାଇକେଲ, ଏକ ଲୁହା ଖଣ୍ଡା, ଦୁଇଟି ଲୁହା ରଡ୍, ଦୁଇଟି ବାଉଁଶ ବାଡ଼ି, ମଦ ବୋତଲ, ବ୍ୟବହୃତ ଗ୍ଲାସ, ନମକିନ ପ୍ୟାକେଟ ଓ ଲଙ୍କା ଗୁଣ୍ଡ ପ୍ୟାକେଟ ଜବତ କରାଯାଇଛି।ପୋଲିସ ହେପାଜତରେ ପଚରାଉଚରା ବେଳେ ଅଭିଯୁକ୍ତମାନେ କାଶୀପୁର ଥାନାର ତିନୋଟି ପୂର୍ବ ମାମଲାରେ ନିଜ ସମ୍ପୃକ୍ତି ସ୍ୱୀକାର କରିଥିଲେ। ଏହାପରେ ପୋଲିସ ଚୋରି ହୋଇଥିବା ଗୋଟିଏ ଖଟ, ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ ଚୁଲା, ଫ୍ରାଇଂ ପ୍ୟାନ, ସସପେନ, ଚାଉଳ ଡବା, ୪ କ୍ୟାରେଟ ଅଣ୍ଡା ଓ ଏକ ମୋଟରସାଇକେଲ ଉଦ୍ଧାର କରିଛି।ଏହି ଘଟଣାରେ କାଶୀପୁର ଥାନା କେସ୍ ନମ୍ବର ୧୪୦/୨୬ ଅନୁଯାୟୀ ଡକାୟତି ପ୍ରସ୍ତୁତି ଓ ଅସ୍ତ୍ର ଆଇନ ଧାରାରେ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି।
