
ରିପୋର୍ଟ :ମା ଟିଭି ଓଡ଼ିଆ ନ୍ୟୁଜ୍। କୋରାପୁଟ ଜିଲ୍ଲାର କୋଡୀଙ୍ଗାମାଳି ଖଣି ଖନନକୁ କେନ୍ଦ୍ର କରି ପୁଣିଥରେ ତେଜିଛି ଜନଆନ୍ଦୋଳନ। ଖଣି ସମ୍ପ୍ରସାରଣ ଓ ପ୍ରସ୍ତାବିତ ଜନଶୁଣାଣୀକୁ ବିରୋଧ କରି ଆଜି ଲକ୍ଷ୍ମୀପୁର ସ୍ଥିତ OMC ଅଫିସ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୋଡୀଙ୍ଗାମାଳି ପ୍ରଭାବିତ ଅଞ୍ଚଳବାସୀ। ପ୍ରାୟ ପନ୍ଦରଶହରୁ ଅଧିକ ଆଦିବାସୀ ପୁରୁଷ ଓ ମହିଳା ଏହି ଆନ୍ଦୋଳନରେ ଯୋଗଦେଇଥିବା ଦେଖିବାକୁ ମିଳିଛି। ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଆନ୍ଦୋଳନକାରୀମାନେ “କୋଡୀଙ୍ଗାମାଳି ଖଣି ଖନନ ବନ୍ଦ କର”, “୬ ମିଲିୟନ ଟନ ସମ୍ପ୍ରସାରଣ ବନ୍ଦ କର” ଓ “ଜନଶୁଣାଣୀ ବାତିଲ କର” ଭଳି ନାରା ଦେଇ ପୁରା ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ।

“କମ୍ପାନୀ ନାହିଁ ତ ଖଣି ନାହିଁ” ନାରା ସହ ଆଦିବାସୀମାନେ ପାହାଡ଼, ଜଙ୍ଗଲ, ଜଳ ଓ ଜମିର ସୁରକ୍ଷା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସ୍ପଷ୍ଟ କରିଥିଲେ।ଆନ୍ଦୋଳନକାରୀମାନଙ୍କ କହିବା ଅନୁସାରେ, ଖଣି ସମ୍ପ୍ରସାରଣ ହେଲେ ସ୍ଥାନୀୟ ଲୋକଙ୍କ ଜୀବିକା, ପରିବେଶ ଓ ଆଦିବାସୀ ଅସ୍ତିତ୍ୱ ଗଭୀର ଭାବେ ପ୍ରଭାବିତ ହେବ। ସେହିପାଇଁ ଜନମତକୁ ଅଣଦେଖା କରି କୌଣସି ପ୍ରକାର ଜନଶୁଣାଣୀ କିମ୍ବା ଖଣି ସମ୍ପ୍ରସାରଣକୁ ସେମାନେ କେବେବି ସ୍ୱୀକାର କରିବେ ନାହିଁ।“ଆମର ପାହାଡ଼, ଜଙ୍ଗଲ ଓ ଜମିକୁ ବଞ୍ଚାଇବା ପାଇଁ ଆମେ ଏହି ଆନ୍ଦୋଳନ କରୁଛୁ। ଯଦି ଜବରଦସ୍ତି ଜନଶୁଣାଣୀ କରାଯିବ କିମ୍ବା ଖଣି ସମ୍ପ୍ରସାରଣ କରାଯିବ, ତେବେ ଆମ ଆନ୍ଦୋଳନ ଆହୁରି ତୀବ୍ର ହେବ।”କୋଡୀଙ୍ଗାମାଳି ପାହାଡ଼ ଓ ଆଦିବାସୀ ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ପ୍ରଭାବିତ ଅଞ୍ଚଳବାସୀ।
