
ରାୟଗଡ଼ା : ରାୟଗଡ଼ ପୌରପରିଷଦ ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଆଜି ଜିଲ୍ଲା ସ୍ତରୀୟ “ଅଙ୍ଗୀକାର-୨୦୨୫” ସଚେତନତା ଶିବିରର ଶୁଭ ଉଦଘାଟନ ହୋଇଗଲା ।

ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପତ୍ର ସଂଖ୍ୟା ୧୨୯୦ ତା. ୧୫/୯/୨୦୨୫ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରୀ ୨.୦ ଅନ୍ତର୍ଗତ ଏହି ସଚେତନତା ଶିବିରରେ ହିତାଧିକାରୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇବ ।

ଏହାରେ ପି.ଏମ-ସୁନିଧୂ, ପି.ଏମ-ବିଶ୍ୱକର୍ମା, ଗୋପବନ୍ଧୁ ଜନାରୋଗ୍ୟ, ପି.ଏମ-ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଗାଣ ଯୋଜନା ପରି ଲୋକାଭିମୁଖୀ କାର୍ଯ୍ୟକ୍ରମ ବିଷୟରେ ହିତାଧିକାରୀମାନଙ୍କୁ ପ୍ରସ୍ତୁତି ଦିଆଯିବ ।ଏହି ଶିବିର ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ । ଶିବିରର ସଠିକ ପରିଚାଳନା ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ସଂସ୍ଥାଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି ଗଠିତ ହୋଇଛି ।

ଆଜିର ଉଦଘାଟନୀ ସଭାରେ ରାୟଗଡ଼ ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଲେ । ଏହା ସହିତ ବ୍ୟାଙ୍କ ଅଧିକାରୀ, ଟାଟା ପାୱାର ସାଉଥର୍ନ ଡିଭିଜନର ଇଞ୍ଜିନିୟରମାନେ, ଡୁଡା ଟିମ୍ ଲିଡ, ସି.ଏଲ.ଟି.ସି, ଗୁଣୁପୁର ଏବଂ ଗୁଡାରୀ ପୌରପରିଷଦର କର୍ମଚାରୀ, ସାମାଜିକ ସଂଗଠନୀ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।ସଭାର ସଂଚାଳନା ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର କରିଥିଲେ ।
