
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦରରେ ଥିବା ଶ୍ରୀ ଭୈରବ ଦେବଙ୍କ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା ବା ଭଦୋବାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ଶୁକ୍ରବାର ଉଦ୍ୟାପିତ ହୋଇଛି।

ସକାଳେ ମା’ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ଭୈରବ ଦେବଙ୍କ ମନ୍ଦିରରେ ପୂଜା-ପାଠ ଆରମ୍ଭ ହେବା ସହିତ ଅଗ୍ନି କୁଣ୍ଡରେ ପୂର୍ବରୁ ପ୍ରସ୍ତୁତ କାଠରେ ଅଗ୍ନି ସଂଯୋଗ କରାଯାଇଥିଲା। ପରେ ଭୈରବ ଦେବ ଓ ମା’ ମାଣିକେଶ୍ୱରୀଙ୍କ କାଳିସି ଲାଗିବା ପରେ ଉଭୟ ଦେବ-ଦେବୀ ମନ୍ଦିରରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ।

ପୂଜାର୍ଚ୍ଚନା ଶେଷରେ ଭୈରବ ଦେବ ନଗରଭ୍ରମଣ କରିଥିଲେ। ପୂର୍ବରୁ କଣ୍ଟା ଦୋଳି, ପୂର୍ଣ୍ଣଜଳ ଭରା ମାଟି ହାଣ୍ଡି ଓ ଧାନପୁଞ୍ଜରେ ସ୍ଥାପିତ ପୂଜାବିଧି ହୋଇଥିଲା। ପରେ ଅଗ୍ନି କୁଣ୍ଡରେ ଭୈରବ ଦେବଙ୍କ ପାଦପାତ ଘଟିଥିଲା।ଏହି ବେଳେ ଯୁବକ ଲାଲ ପରିଛାଙ୍କ ଦେହରେ ଭୈରବ ଦେବଙ୍କ କାଳିସି ଲାଗିଥିଲା ବେଳେ, ଶରତ ଚନ୍ଦ୍ର ପୂଜାରୀଙ୍କ ଦେହରେ ମା’ ମାଣିକେଶ୍ୱରୀଙ୍କ କାଳିସି ଲାଗିଥିଲା।

ରାତିରେ ଭକ୍ତମାନଙ୍କ ମନୋରଞ୍ଜନ ପାଇଁ ଘୁମୁରା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ କଦଳିମୁଣ୍ଡା ଘୁମୁରା ଦଳ ପ୍ରଥମ, ବାନେର ଘୁମୁରା ଦଳ ଦ୍ବିତୀୟ ଏବଂ ଘତ୍ତିଗୁଡ଼ା ଘୁମୁରା ଦଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତା ଦଳମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
