
ମାଲକାନଗିରି : ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୁଲିସଙ୍କ ସମ୍ମୁଖରେ ୧୬ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ – ଲଚ୍ଛୁ ପଡ଼ିଆମି (୪୪), କେସା କୁଞ୍ଜାମ (୩୮), ମୁନ୍ନା ହେମଲା (୪୦), ଜରୁ ପଲ୍ଲଶ୍ର (୩୬), ମାସୁ ମହନ୍ଦା (୪୩), ଲାଲୁ ପୋୟାମ (୩୫), ରେନୁ ମହିନ୍ଦା (୩୨), ଜରୁରାମ ମହନ୍ଦା (୩୩), ବୁଧୁରାମ ମହନ୍ଦା (୨୯), ଚିନ୍ନା ମଞ୍ଜି (୩୪), କୁମ୍ଭା ମଞ୍ଜି (୩୪), ବଦି ମେହନ୍ଦା (୩୦), ବିରଜୁ ମହନ୍ଦା (୩୦), ବୁଧୁ ମଜ୍ଜି (୩୩) ଏବଂ କୋସା ମେହନ୍ଦା (୩୪) ।ଏହି ସମସ୍ତେ ଜନତାନା ସରକାର ସଦସ୍ୟ, ମିଲିସିଆ କମାଣ୍ଡର, ସିଏନ୍ଏମ୍ ଅଧ୍ୟକ୍ଷ, ପଞ୍ଚାୟତ ସରକାର ସଦସ୍ୟ ଓ ପଞ୍ଚାୟତ ମିଲିସିଆ ସଦସ୍ୟ ଭାବେ ସଂଗଠନରେ କାମ କରୁଥିଲେ । ପୁଲିସ ସମ୍ମୁଖରେ ଆସିବା ପରେ ସେମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ପ୍ରଦାନ କରିଛନ୍ତି ।ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ କହିବା ଅନୁସାରେ, ସଂଗଠନ ଭିତରେ ବାହାରୁ ଆସିଥିବା କ୍ୟାଡରମାନେ ଆଦିବାସୀ ନକ୍ସଲମାନଙ୍କୁ ହୀନ ଚକ୍ଷୁରେ ଦେଖୁଥିବା ସହ ସେମାନଙ୍କୁ ଅନେକ ପ୍ରକାର ନିର୍ଯାତନା ମଧ୍ୟ ଦେଇଆସୁଛନ୍ତି । ସଂଗଠନରେ ଭେଦଭାବ ବଢ଼ିବା ସହିତ ପୁଲିସଙ୍କ ତୀବ୍ର କଣ୍ଟିଂ ଅପରେସନ କାରଣରୁ ସେମାନେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିବା କହିଛନ୍ତି ।ପୁଲିସ ପକ୍ଷରୁ ସୂଚିତ କରାଯାଇଛି, ଅନ୍ୟ ନକ୍ସଲମାନେ ମଧ୍ୟ ହିଂସାର ପଥ ଛାଡ଼ି ଆତ୍ମସମର୍ପଣ କରି ସାଧାରଣ ଜୀବନକୁ ଫେରିଆସିବା ଉଚିତ ।
