
ରାୟଗଡ଼ା: ଗତ ତିନି ଦିନ ଧରି ଲାଗିଥିବା ଭାରି ବର୍ଷାରେ ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି । ପଛଲା ଦୁଇ ଦିନ ମଧ୍ୟରେ ମାତ୍ର ରାୟଗଡ଼ାରେ ୧୩୩.୭୫ ମିଲିମିଟର ଓ ସୀମାନ୍ତ ଅଞ୍ଚଳରେ ୧୩୭.୫ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଲଘୁଚାପ ଜନିତ ଏହି ବର୍ଷାରେ ନାଗାବଳୀ ନଦୀର ଜଳସ୍ତର ବେପରୁଆ ଭାବରେ ବଢ଼ିବାରୁ କୂଳିଆ ଗ୍ରାମ ସହିତ କିଛି ଅଞ୍ଚଳ ବନ୍ୟା ଭୟରେ ଅଛି । ଗ୍ରାମକୁ ବନ୍ୟାରୁ ସୁରକ୍ଷା କରିବା ପାଇଁ ନାବାର୍ଡ ସହାୟତାରେ ନଦୀ ସୁରକ୍ଷା ବନ୍ଧ ନିର୍ମାଣ କରାଯାଇଥିଲା ।

କିନ୍ତୁ, ଲଗାଣ ବର୍ଷାରେ ରାୟଗଡ଼ା ବ୍ଲକର ଜେମାଦେଇପେଣ୍ଠ ପଞ୍ଚାୟତର ବଡ଼ ରାଇର୍ସିରେ ନାଗାବଳୀ ତଟରେ ନିର୍ମିତ ପଥର ପ୍ୟାକିଂ କାମ ଧସିଯାଇଛି । ସେପରି ସାନ ରାଇସଙ୍ଗି, ଗୁରୁରାଜଗୁଡା, ଜଗନ୍ନାଥପୁର, ଗୋସେଇଁ କଣ୍ଡୁଆ ସହିତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ନଦୀ ବନ୍ଧର ପଥର ପ୍ୟାକିଂ ଭୁଷୁଡି ପଡ଼ିଛି । ଗ୍ରାମବାସୀଙ୍କ ଅଭିଯୋଗ, ବନ୍ଧ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ ଘୋଟାଳା ହୋଇଥିବାରୁ ସାଧାରଣ ବର୍ଷାରେ ମଧ୍ୟ ଏହି ପ୍ରତିରକ୍ଷା ବନ୍ଧ ଭୁଷୁଡି ପଡ଼ୁଛି ।

ଏହି ବିଷୟରେ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଦୁର୍ଯୋଧନ ପାଧନଜାନୀ କହିଛନ୍ତି, “ଭୁଷୁଡିଥିବା ବନ୍ଧଗୁଡ଼ିକୁ ଶୀଘ୍ର ମରାମତି କରାଯିବ । ଏହା ପାଇଁ ସଂପୃକ୍ତ ଠିକାଦାରକୁ ନିର୍ଦ୍ଦେଶ ଦିଆଯିବ ।”
