ରାସ୍ତାସାରା ଖାଲଖମା,ଦିନକ ପାଇଁ ବନ୍ଦ ରହିଛି ମନ୍ଦିର ବସ୍ ସେବା।

ରାୟଗଡ଼ – ରାୟଗଡ଼ ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ଯିବାକୁ ଯାତାୟତରେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଶ୍ରଦ୍ଧାଳୁ। ମନ୍ଦିରକୁ ଯିବାକୁ ହେଲେ ତିନୋଟି ରାସ୍ତା ଦେଇ ଯିବାକୁ ହୋଇଥାଏ। ପ୍ରଥମ ରାସ୍ତା ଅଣ୍ଡରପାସ୍ ଦେଇ ହାଲୁକା ଯାନ ବାହାନ ଏବଂ ଚାଲି ଚାଲି ମଧ୍ୟ ଯିବାକୁ ହୁଏ। କିନ୍ତୁ,ଏହି ରାସ୍ତାରେ ଅଳ୍ପକେ ବର୍ଷାରେ କୃତ୍ରିମ ପୋଖରି ସୃଷ୍ଟି ହୋଇଯାଉଛି। ବର୍ଷା ପାଣି ଜମି ରହିବା ପରେ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇ ନାହିଁ। ଏପରିକି ବର୍ଷା ପାଣି ଜମା ହେବା ପରେ, ସେହି ପାଣି ସେଠାରେ ଜମା ହୋଇ ରହୁଛି। ଦ୍ଵିତୀୟ ରାସ୍ତା ରାଣିଗୁଡ଼ା ଦେଇ ଯାତାୟତ କରିବା ପାଇଁ ସେହି ରାସ୍ତାରେ ଓଳିଆ ଆବର୍ଜନା ସାଙ୍ଗକୁ ଚିକେନ୍ ବିକ୍ରେତା ମାନଙ୍କ କୁକୁଡ଼ା ପର ହାଡ଼ ଏହିସବୁ ଫିଙ୍ଗି ଦେଉଥିବା ଯୋଗୁଁ ଦୂର୍ଗନ୍ଧରେ ନାକ ଫାଟିଯାଏ, ରାସ୍ତା ଅପରିଷ୍କାର ହୋଇଥାଏ। ତୃତୀୟ ରାସ୍ତା ହେଉଛି ମଝିଘରିଆଣୀ ବ୍ରିଜ ଦେଇ ମନ୍ଦିର ପାଖକୁ ପହଞ୍ଚିବା ରାସ୍ତା। ଏହି ରାସ୍ତା ଦେଇ ହାଲୁକା ଓ ଭାରିଯାନ ଏବଂ ମନ୍ଦିର ଶ୍ରଦ୍ଧାଳୁ ମାନଙ୍କୁ ନେଇ ଯାତାୟତ କରୁଥିବା ନିଶୁଳ୍କ ବସ୍ ଯାତାୟତ କରିଥାଏ। ଗତକାଲି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବର୍ତ୍ତମାନ୍ ଏହି ରାସ୍ତାରେ ଗାଡ଼ି ଚଳାଇବାକୁ ଅସୁରକ୍ଷିତ ମଣୁଛନ୍ତି ଗାଡ଼ି ଚାଳକ। ରାସ୍ତା ସାରା ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ହେତୁ, କୌଣସି ଦୁର୍ଘଟଣା ନ ଘଟୁ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଝିଘରିଆଣୀ ମନ୍ଦିର ପକ୍ଷରୁ ଚାଲୁଥିବା ନିଶୁଳ୍କ ବସ୍ ସେବା ବନ୍ଦ ରହିଛି।। ଏହି ରାସ୍ତାରେ ବର୍ଷାରେ ଖରାପ ହୋଇଥିବା ଯୋଗୁଁ ଉଠାଣି ଓ ଗୋଡାଣି ରାସ୍ତା ଦେଇ ଗାଡ଼ି ନେଇ ଯିବାକୁ ଭୟ କରୁଛନ୍ତି ଗାଡ଼ି ଚାଳକ ମାନେ। ଅନ୍ୟପଟେ ରେଳବାଇ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ହେତୁ ମନ୍ଦିର ପ୍ରବେଶ ବାଟ ଗୁଡ଼ିକ ଖାଲଖମାରେ ଭରି ରହିବା ସହ ଅଳ୍ପକେ ବର୍ଷାରେ ପାଣି ଜମି ରହି କୃତ୍ରିମ ପୋଖରୀ ଗୁଡ଼ିକ ସୃଷ୍ଟି ହେବା ସହ ମନ୍ଦିରକୁ ଆସିଥିବା ଶ୍ରଦ୍ଧାଳୁ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ମନ୍ଦିର ପରିଚାଳନା କମିଟି ଏବଂ ରେଳବାଇ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କ ଯାତାୟତ ସମସ୍ୟା ଦୂର କରିବାକୁ ଚେଷ୍ଟା କରିଲେ ଶ୍ରଦ୍ଧାଳୁ ମାନେ ଉପକୃତ ହେବେ ବୋଲି ଦାବି ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!