
ରାୟଗଡା: ରାୟଗଡା ସହରରେ ଲୁଟ ଘଟଣା ନାମରେ ଏକ ନାଟକୀୟ ଘଟଣା ସମ୍ମୁଖକୁ ଆସିଛି। ଆଜି ତା ୦୯.୦୩.୨୦୨୬ ରିଖରେ ପାତ୍ର ଇଲେକଟ୍ରନିକ୍ସର ମ୍ୟାନେଜର ଶ୍ରୀ ଅକ୍ଷୟ ବିବାର ରାୟଗଡା ଥାନାକୁ ଫୋନ କରି ଜଣାଇଥିଲେ ଯେ ତାଙ୍କ ସଂସ୍ଥାର ହିସାବ ରକ୍ଷକ ଶ୍ରୀ ରଞ୍ଜିତ କୁମାର ଦଳେଇ ୨ ଲକ୍ଷ ୩୨ ହଜାର ଟଙ୍କା ନେଇ ସ୍ଟେଟ ବ୍ୟାଙ୍କରେ ଜମା କରିବାକୁ ଯାଉଥିବା ବେଳେ ଜେଏମଡି ବେକେରି ସାମ୍ନାରେ ଦୁଇଜଣ ଲୁଟେରା ପଲସର ବାଇକରେ ଆସି ଟଙ୍କା ଛିନତାଇ କରି ନେଇଥିବା ଅଭିଯୋଗ କରାଯାଇଥିଲା।ଖବର ପାଇ ସଙ୍ଗେସଙ୍ଗେ ରାୟଗଡା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୈଜ୍ଞାନିକ ଓ ବିଧିବିଜ୍ଞାନ ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ଏଭଳି କୌଣସି ଲୁଟ ଘଟଣା ଘଟିନଥିଲା। ପରେ ହିସାବ ରକ୍ଷକ ଶ୍ରୀ ରଞ୍ଜିତ କୁମାର ଦଳେଇଙ୍କୁ ତଦନ୍ତ ପରିସରରେ ରଖି ପଚାରାଉଚାରା କରାଯାଇଥିବା ବେଳେ ସେ ସ୍ୱୀକାର କରିଥିଲେ ଯେ ବିଭିନ୍ନ ଦିନରେ ସେ ନିଜେ ଟଙ୍କା ଚୋରି କରି ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟୟ କରିଥିଲେ ଏବଂ ଏହାକୁ ଲୁଚାଇବା ପାଇଁ ଲୁଟ ଘଟଣାର ଏକ ନାଟକ ରଚିଥିଲେ।ପୁଲିସ ତାଙ୍କ ନିକଟରୁ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଥିବା ସହ ତାଙ୍କୁ ଥାନାରେ ଅଟକ ରଖିଛି। ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି।
