
ରାୟଗଡା, ୩୧ ଅଗଷ୍ଟ ୨୦୨୫ (ରବିବାର):ଆଜି ଦିନ ୧୧ଟା ସମୟରେ ରାୟଗଡା ପୌର ପରିଷଦ ସ୍ଥିତ ଅଡିଟୋରିୟମ୍ରେ “ସ୍ୱାୟତ୍ତ ଶାସନ ଦିବସ –୨୦୨୫” ଉତ୍ସବମୟ ପରିବେଶରେ ପାଳନ କରାଗଲା। କାର୍ଯ୍ୟକ୍ରମର ଶୁଭାରମ୍ଭ ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନରୁ କରାଯାଇଥିଲା।

ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପତ୍ର ସଂଖ୍ୟା ୧୯୪୯୭, ତା. ୧୯.୦୮.୨୦୨୫ ଅନୁସାରେ ଏହି ବର୍ଷ ୨୫ ଡିସେମ୍ବରରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ “ସ୍ୱାୟତ୍ତ ଶାସନ ଦିବସ” ପାଳନ କରାଯାଇଥିଲା। ଏହାରେ ବୃକ୍ଷରୋପଣ, ସଫାଇ ଶୋଭାଯାତ୍ରା, “ଆଇନଗତ ସଫେଇ – ସୁରକ୍ଷିତ ସଫେଇ” କାର୍ଯ୍ୟକ୍ରମ ସହିତ ବିଭିନ୍ନ ସଚେତନତାମୂଳକ ପ୍ରୟାସ ସଂଗଠିତ ହୋଇଥିଲା।

ପୌରପରିଷଦ ଆନୁକୂଳ୍ୟରେ ପ୍ରତିବର୍ଷ ଭଳି ଏଥିରେ ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଆୟୋଜନ କରାଗଲା। ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର–ଛାତ୍ରୀ ଅଂଶଗ୍ରହଣ କରି କୃତିତ୍ୱ ପ୍ରଦର୍ଶନ କରିଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀମାନଙ୍କୁ ମଞ୍ଚରେ ଡାକି ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଗଲା।ଏହା ସହିତ, ପୌରପରିଷଦରେ କାର୍ଯ୍ୟରତ ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ସମ୍ମାନ ପତ୍ର ଦେଇ ସମ୍ମାନିତ କରାଗଲା। କର୍ମଚାରୀମାନଙ୍କ ଉତ୍ସାହ ବୃଦ୍ଧି ପାଇଁ କ୍ରିକେଟ, ଭଲିବଲ, ମ୍ୟୁଜିକାଲ୍ ଚେୟାର୍ ଓ ଲେମନ୍-ଚାମଚ ପ୍ରତିଯୋଗିତା ଆୟୋଜନ କରାଗଲା।


ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ଅନ୍ତର୍ଗତ ୩୦ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଗଲା। ସେହିଭଳି, ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ଲାଇଭ ଟେଲିକାଷ୍ଟ ମାଧ୍ୟମରେ ସମସ୍ତ ୪୫ ପୌରପରିଷଦରେ ନିର୍ମିତ ବହୁମୂଖୀ ଭବନ ଉଦଘାଟନ କରାଗଲା। ରାୟଗଡାରେ ୩ଟି ଭବନର ଉଦଘାଟନ ହୋଇଛି।ଆଜିର ସମାରୋହରେ ରାୟଗଡା ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେଥିସହିତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡ, ପୌରପରିଷଦ ଅଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ, ଉପାଧ୍ୟକ୍ଷା ଶ୍ରୀମତୀ ଶୁଭ୍ରା ପଣ୍ଡା, ସମସ୍ତ ପାରିଷଦ, ପୌରକର୍ମୀ ଓ ସାମାଜିକ ଗଣମାନ୍ୟବ୍ୟକ୍ତିମାନେ ଉପସ୍ଥିତ ଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଳଦୀପ କୁମାର ସୁଚାରୁ ଭାବେ ସଂଚାଳନ କରିଥିଲେ।
