ଆନ୍ତର୍ଜାତୀୟ ଯୋଗ ଦିବସ 2025 — ଉତ୍କଳ ଆଲୁମିନା ତରଫରୁ ଉତ୍ସାହର ସହ ପାଳନ।

ରାୟଗଡ଼ା/ଟିକିରୀ: ୨୨/୬/୨୦୨୫:-୧୧ତମ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉତ୍କଳ ଆଲୁମିନା ହିଣ୍ଡାଲକୋ ଇଣ୍ଡଷ୍ଟ୍ରୀଜ, ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ, ଟିକିରୀ ଅଞ୍ଚଳରେ ଉତ୍ସାହ ଓ ଉତ୍ସବମୂଡ଼ରେ ଏହି ଦିବସ ପାଳନ କରିଛି। କମ୍ପାନୀର ନୂଆପଡ଼ା ଓ ଓଷାପଡ଼ା ଟାଉନସିପ୍ ଠାରେ ଆୟୋଜିତ ଯୋଗ ଶିବିରରେ ପ୍ରସିଦ୍ଧ ଯୋଗ ପ୍ରଶିକ୍ଷକ ଅନିକେତ ଯୋଷୀ ଓ ଅନିଶା ଉପସ୍ଥିତ ରହି ଅଂଶଗ୍ରହକାରୀଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ତାହାର ଉପକାରିତା ବିଷୟରେ ଅବଗତ କରାଇଥିଲେ।

ଚଳିତ ବର୍ଷ ଯୋଗ ଦିବସର ବିଷୟବସ୍ତୁ “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ” ଉପରେ ଆଲୋକପାତ କରାଯାଇଥିଲା। ଏହି ଅବସରରେ ୪୦୦ରୁ ଅଧିକ କମ୍ପାନୀ କର୍ମଚାରୀ ଯୋଗ ଦେଇ ଯୋଗାସନ ଅଭ୍ୟାସ କରିଥିଲେ। ଏଫ୍ ଏଚ ଅପରେସନ ଉତ୍ତମ ଗିରି, ଏଫ୍ଏଚ ଟେକ୍ନିକାଲ ପୌଲ୍ ଗୁପ୍ତା, ସୁରକ୍ଷା ବିଭାଗର ବିଶ୍ୱଜିତ୍ ଜୋୱାରଦାର ଓ ପରମଜିତ ବଜବା ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ଏହିପରି ଉତ୍କଳ ଆଲୁମିନାର ବାଫ୍ଲିମାଳି ଖଣି ପକ୍ଷରୁ ମଧ୍ୟ ଏହି ଦିବସକୁ ମହାଡମ୍ବରରେ ପାଳନ କରାଯାଇଛି। ଖଣି ମୁଖ୍ୟ ବିଜୟ ଚୌହାନ ସହ କର୍ମଚାରୀମାନେ ଯୋଗ ଦେଇ ଯୋଗାସନ ଓ ପ୍ରାଣାୟାମର ଅଭ୍ୟାସ କରି ସୁସ୍ଥ ସ୍ବାସ୍ଥ୍ୟ ପ୍ରତି ପ୍ରେରିତ ହୋଇଛନ୍ତି। ଏଥିରେ ଦିଲ୍ଲୀପ କୁମାର ନନ୍ଦ ଓ ଅନିନ୍ଦିତା ମଣ୍ଡଳ ଯୋଗ ଦେଇ ଅଂଶଗ୍ରହକାରୀଙ୍କୁ ଯୋଗର ଉପକାରିତା ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ।

ଓଷାପଡ଼ା ଅବସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ୍ ସ୍କୁଲରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଆୟୋଜିତ ଶିବିରରେ ଅଧ୍ୟକ୍ଷ ଅନିରୁଧ ତିୱାରୀଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ସେଠାରେ ଶିକ୍ଷାର୍ଥୀଙ୍କୁ ଯୋଗ ମାଧ୍ୟମରେ ମାନସିକ ଶାନ୍ତି, ସ୍ବାସ୍ଥ୍ୟ ଓ ନିରୋଗ ଜୀବନ ପାଇଁ ସଚେତନ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!